ପୁରୀ (ସମୀର ରଞ୍ଜନ ନାୟକ) : ଆଗାମୀ ଗ୍ରୀଷ୍ମ ପ୍ରବାହ ପାଇଁ ଶ୍ରୀମନ୍ଦିର କୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କୁ ସୁବିଧା ଯୋଗାଇ ଦେବାକୁ ବିବିଧ ବ୍ୟବସ୍ଥା କରୁଛି ପ୍ରଶାସନ।ଆଜି ଅପରାହ୍ନ ରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହ ପରିସରରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏଥିରେ ଅଧ୍ୟକ୍ଷତା କରିବା ସହ ଶ୍ରଦ୍ଧାଳୁ ମାନେ ଯେପରି ଖରାରେ ହଇରାଣ ନ ହୋଇ ଏକ ସୁଖଦ ଅନୁଭବ ନେଇ ଫେରିବେ ସେଥିପାଇଁ ଆମେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ।ସମସ୍ତ ବିଭାଗ ଅତ୍ୟନ୍ତ ନିଷ୍ଠାର ସହ ସେମାନଙ୍କ ବିଭାଗର ଦାୟିତ୍ୱ କୁ ସେଠାରେ ନିର୍ବାହ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଗ୍ରୀଷ୍ମ ପ୍ରବାହ ସମୟରୁ ବର୍ଷା ଋତୁ ପର୍ଯ୍ୟନ୍ତ ପାନୀୟ ଜଳର ବ୍ୟବସ୍ଥା ଓ ଜଳ ସିଞ୍ଚନ ବ୍ୟବସ୍ଥା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ଛାଇ ବ୍ୟବସ୍ଥା କରିବା, ପାନୀୟ ଜଳ ବ୍ୟବସ୍ଥା, ତଳେ ମ୍ୟାଟ ବ୍ୟବସ୍ଥା, ଚିକିତ୍ସା ବ୍ୟବସ୍ଥା,ପରିଷ୍କାର ପରିଛନ୍ନତା ବ୍ୟବସ୍ଥା, ଶୌଚାଳୟ ବ୍ୟବସ୍ଥା,ଆଇନ ଶୃଙ୍ଖଳା ବ୍ୟବସ୍ଥା,ସ୍ବେଚ୍ଛାସେବୀ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ବିଷଦ ଆଲୋଚନା କରାଯାଇଥିଲା।ସେହିପରି ମନ୍ଦିର ପ୍ରଶାସନ ପକ୍ଷରୁ ଡାକବାଜି ବ୍ୟବସ୍ଥା କୁ ଅଧିକ କ୍ରିୟାଶୀଳ ଓ ପରିବ୍ୟାପ୍ତ କରାଯିବାକୁ ପରାମର୍ଶ ଦିଆଯାଇଥିଲା। ଯାହା ଫଳରେ ହଜୁଥିବା ଓ ତାଙ୍କୁ ଖୋଜୁଥିବା ଶ୍ରଦ୍ଧାଳୁ ମାନେ ଶିଘ୍ର ମିଳିବା ସମ୍ଭବ ହେବ। ଏସ ପି ବିନୀତ ଅଗ୍ରୱାଲ ଶୃଙ୍ଖଳା ରକ୍ଷା ସହ ଶ୍ରଦ୍ଧାଳୁ ମାନଙ୍କ ସୁବିଧା ପ୍ରତି ସମ୍ମିଳିତ ଭାବେ ଉଦ୍ୟମ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡଃ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବେନ୍ଦ୍ର ସାହୁ, ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ଅତିରିକ୍ତ ଉପ ଜିଲ୍ଲାପାଳ ନୀଳମାଧବ ମାଝୀ, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରଶ୍ମି ରଞ୍ଜନ ସାହୁ, ଡେପୁଟି କଲେକ୍ଟର ପ୍ରଶାନ୍ତ କୁମାର ଜେନା, ମନୀଷା ଷଡ଼ଙ୍ଗୀ, ମୁନିସିପାଲ୍ଟି ଏନଫୋର୍ସମେଣ୍ଟ ଅଫିସର ଦେବାଶିଷ ନାୟକ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।