ପୁରୀ(ସମୀର ରଞ୍ଜନ ନାୟକ) ପୁରୀ ଜିଲ୍ଲା କଣାସରେ ଝାଡ଼ାବାନ୍ତି ଘଟଣା। ଏବେ ବି ଆକ୍ରାନ୍ତ ସଂଖ୍ୟା ନିୟନ୍ତ୍ରଣକୁ ଆସିପାରି ନାହିଁ। ଗତ ୧୦ ଦିନ ଭିତରେ ଶତାଧିକ ଆକ୍ରାନ୍ତ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କେତେକ ଲୋକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଗତକାଲି ରାଜ୍ୟ ଜନସ୍ଵାସ୍ଥ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ, ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସଂକ୍ରମିତ ଗାଁ କୁ ଯାଇ ସ୍ଥିତି ପରଖିଥିଲେ। ଗ୍ରାମବାସୀ ଓ ଡାକ୍ତରୀ ଦଳ ସହ ସ୍ଵାସ୍ଥ୍ୟାବସ୍ଥା
ସଂପର୍କରେ ପଚାରି ବୁଝିଛନ୍ତି। ନୂଆଗାଁ, ଜାଗୁଳାଇପଦର ଗାଁର ସ୍ଥିତି ଦେଖିବା ପରେ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଆକ୍ରାନ୍ତଙ୍କ ଅବସ୍ଥା ବୁଝିଥିଲେ। ଅନ୍ୟ ପଠେ ଦୟା ନଦୀର ପ୍ରଦୂଷିତ ଜଳ ବ୍ୟବହାର କରି ଲୋକେ ମୃତ୍ୟୁମୁଖରେ ପଡ଼ିବା ପରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ନେଇ ଚିନ୍ତା ବଢିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଜଳ ପ୍ରଦୂଷଣ ରୋକିବା ଜଳସେଚନ ବିଭାଗର କାମ। ତଥାପି ପର୍ଯ୍ୟଟନସ୍ଥଳୀର ସ୍ଵଚ୍ଛତା ଉପରେ ଗୁରୁତ୍ଵ ଦିଆଯାଉଛି । ବର୍ଷ ସାରା ଜଳ ପ୍ରବାହର ସ୍ରୋତକୁ ଧ୍ୟାନ ଦିଆଯାଉଛି। ଏହାକୁ ସ୍ୱାଭାବିକ କରାଇବା ପାଇଁ ଓ ପ୍ରଦୂଷଣ ରୋକିବା ପାଇଁ ଉଦ୍ୟମ କରାଯାଉଛି।
ହୀରାକୁଦକୁ ଗୁଜରାଟର ସାବରମତୀ ରିଭରଫ୍ରଣ୍ଟ ଭଳି କରିବାକୁ ଉଦ୍ୟମ ଆରମ୍ଭ ହୋଇଛି।ସେହିପରି ସାତକୋଶିଆ, ଭିତରକନିକା, ଦେବରୀଗଡ଼, ଶିମିଳିପାଳ, କୋରାପୁଟର କୋଲାବରେ ଫାଉଣ୍ଡେସନ ହେବ। ୨୦୨୫ ଶେଷ କିମ୍ଵା ୨୬ ଆରମ୍ଭରେ ଏସବୁ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି। ରାଜସ୍ଥାନର ବିଭିନ୍ନ ଐତିହ୍ୟପୂର୍ଣ୍ଣ ସ୍ଥାନରେ କୃତ୍ରିମ ହ୍ରଦ କରାଯାଇଛି। କିନ୍ତୁ ଓଡ଼ିଶାରେ ଜଳର ପ୍ରାକୃତିକ ସ୍ରୋତ ଥିବାରୁ ଏହାର ବିକାଶ ଉପରେ ଧ୍ୟାନ ଦିଆଯାଉଥିବା ସେ କହିଛନ୍ତି।