ସରକାର କଣାସରେ ହଇଜା ନିୟନ୍ତ୍ରଣ କରିବାକୁ ନିବେଦନ କଲେ ସାଂସଦ ମାନସ ମଙ୍ଗରାଜ

ପୁରୀ (ସମୀର ରଞ୍ଜନ ନାୟକ) :ପୁରୀ ଜିଲ୍ଲା କଣାସରେ ଝାଡ଼ାବାନ୍ତି ଘଟଣା। ଏବେ ବି ଆକ୍ରାନ୍ତ ସଂଖ୍ୟା ନିୟନ୍ତ୍ରଣକୁ ଆସିପାରି ନାହିଁ। ଗତ ୧୦ ଦିନ ଭିତରେ ଶତାଧିକ ଆକ୍ରାନ୍ତ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କେତେକ ଲୋକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଗତକାଲି ରାଜ୍ୟ ଜନସ୍ଵାସ୍ଥ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ, ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସଂକ୍ରମିତ ଗାଁ କୁ ଯାଇ ସ୍ଥିତି ପରଖିଥିଲେ। ଗ୍ରାମବାସୀ ଓ ଡାକ୍ତରୀ ଦଳ ସହ ସ୍ଵାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି।

ନୂଆଗାଁ, ଜାଗୁଳାଇପଦର ଗାଁର ସ୍ଥିତି ଦେଖିବା ପରେ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଆକ୍ରାନ୍ତଙ୍କ ଅବସ୍ଥା ବୁଝିଥିଲେ। କଣାସରେ ହଇଜା ବ୍ଯାପିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ସେ ନିଜର ଏକ୍ସ ହ୍ଯାଣ୍ଡେଲରେ ହଇଜାରେ ଲୋକଙ୍କ ମୃତ୍ଯୁ ନେଇ ମଧ୍ଯ ଚିନ୍ତା ପ୍ରକଟ କରିଛନ୍ତି । ରାଜ୍ଯ ସରକାର ତୁରନ୍ତ ଏ ଦିଗରେ ଜରୁରୀ ପଦକ୍ଷେପ ନେଇ ଏହାକୁ ଅକ୍ତିଆରକୁ ଆଣିବାକୁ ସେ ଦାବି କରିଛନ୍ତି । ପ୍ରଭାବିତ ଅଞ୍ଚଳକୁ ଏକ ସ୍ବତନ୍ତ୍ର ମେଡିକାଲ ଟିମ ପଠାଇବାକୁ ସେ ଦାବି କରିଛନ୍ତି ।

ବର୍ଜ୍ଯବସ୍ତୁ ପରିଚାଳନାରେ ବିଫଳତା ଲାଗି ଗଙ୍ଗୁଆ ନଦୀ ଜଳ ଦୟା ନଦୀ ଦେଇ ଚିଲିକାରେ ମଧ୍ଯ ମିଶୁଥିବାରୁ ବିଜେଡି ସାଂସଦ ଚିନ୍ତା ପ୍ରକଟ କରିଛନ୍ତି । ଯଦ୍ବାରା ରାଜୁଆ, ମକରା, ଲୁଣା, ରତ୍ନଚିରା ଓ ଭାର୍ଗବୀ ଜଳ ମଧ୍ଯ ପ୍ରଦୂଷିତ ହୋଇପଡିଛି । ତେଣୁ ସେ ରାଜ୍ଯ ସରକାର ସମସ୍ଯାରେ ତୁରନ୍ତ ହସ୍ତକ୍ଷେପ କରି ହଇଜା ରୋକିବା ଦିଗରେ କାମ କରିବାକୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!