ମୟୁରଭଞ୍ଜ/କରଞ୍ଜିଆ (ଜିତେନ୍ଦ୍ର ରାଜ ): କରଞ୍ଜିଆ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ବିଶିଷ୍ଟ ତବଲା ଗୁରୁ ସ୍ୱର୍ଗତ କରୁଣାକର ଦାସଙ୍କ ପରଲୋକ ରେ ଅଞ୍ଚଳର କଳାଜଗତ ସହ ସହରରେ ଶୋକର ଛାୟା ଖେଳିଯାଇଛି। ଏହି ଅବସରରେ ରାଜ୍ୟ ଜଙ୍ଗଲ ଓ ପରିବେଷ ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ, କେନ୍ଦୁଝର ସାଂସଦ ଅନନ୍ତ ନାଏକ, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ବରିଷ୍ଠ ନାଟ୍ୟ ଅଭିନେତା ତଥା ନିର୍ଦେଶକ ଉମାଶଙ୍କର ସାହା, ପ୍ରମୁଖ ଶୋକ ପ୍ରକାଶ କରି ମୟୁରଭଞ୍ଜ ତଥା ପାଞ୍ଚପିଢ ମାଟିର ସୁଯୋଗ୍ୟ ସନ୍ତାନ, କଳାର ପୂଜାରୀ, କଳାକାର ଙ୍କ ବିଶ୍ୱକର୍ମା ଙ୍କୁ ହରାଇଛି ବୋଲି ପ୍ରକାଶ କରିବା ସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।
କରଞ୍ଜିଆ ତଥା ଅଞ୍ଚଳ ର ବରିଷ୍ଠ କଳାକାର ତଥା କଳାପ୍ରେମୀ, ଅନୁଗାମୀ ଏବଂ ବହୁସଂଖ୍ୟକ ଜନସାଧାରଣ ତାଙ୍କ ବାସଭବନରେ ଉପସ୍ଥିତ ହୋଇ ପାର୍ଥିବ ଶରୀରକୁ ଏକ ସଭାଯାତ୍ରା ରେ ତାଙ୍କ ବାସଭବନ ରୁ ଆରମ୍ଭ କରି ସହର ପରିକ୍ରମା ପରେ ତାଙ୍କ କାର୍ଯ୍ୟସ୍ଥଳୀ ସଙ୍ଗୀତ ମହାବିଦ୍ୟାଳୟ କୁ ନେଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ଆଜି କରଞ୍ଜିଆ ର ଅଗ୍ରଣୀ ନୃତ୍ୟାନୁଷ୍ଠାନ ନୃତ୍ୟଶ୍ରୀ ଏକାଡେମୀ ପକ୍ଷରୁ ପ୍ରତିଷ୍ଠାତା ସମୀର ଓତା ଙ୍କ ପୌରହିତ୍ୟ ରେ ସ୍ବର୍ଗତ ଗୁରୁ କରୁଣା କର ଦାସ ଙ୍କ ଉଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ର ଆୟୋଜନ କରାଯାଇଥିଲା।
ସଭାରେ ଅନୁଷ୍ଠାନ ର ଶିକ୍ଷାର୍ଥୀ କୁନି କୁନି କଳାକାର ମାନେ ଏବଂ ଅଭିଭାବକ ଉପସ୍ଥିତ ରହି ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହ କୁନି କଳାକାରମାନେ ଭାବପୂର୍ଣ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।ସଭା ରେ ପ୍ରତିଷ୍ଠାତା ସମୀର ଓତା ନିଜ ଅନୁଭୂତି ପ୍ରକାଶ କରିବା ସହ ଗୁରୁ କରୁଣାକର ଦାସ ଙ୍କ କଳା ପ୍ରତି ସମର୍ପଣ, କଳାକାର ଙ୍କ ପ୍ରତି ସମ୍ମାନ ଏବଂ ଶିକ୍ଷାର୍ଥୀ ମାନଙ୍କ ପାଇଁ ଅକୁଣ୍ଠ ପ୍ରଶିକ୍ଷଣ, ତାଙ୍କ ପ୍ରେରଣା ରେ ସିନେମା ଓ ମଞ୍ଚ ରେ ସୁନାମ ଅର୍ଜନ କରି କରଞ୍ଜିଆ କୁ ପ୍ରତିନିଧିତ୍ୱ କରିଥିବା କଳାକାର ମାନଙ୍କ ବିଷୟରେ ଓ କରଞ୍ଜିଆ ରେ ତାଙ୍କ ଦ୍ୱାରା କଳା ଓ ସଙ୍ଗୀତ କୁ ଆଗକୁ ବଢାଇବା ଦିଗରେ ହୋଇଥିବା ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ଉପରେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।