କେନ୍ଦୁଝର (ସୀତାରାମ ଦୀକ୍ଷିତ): ଅତାବିରା ମହାବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ କେନ୍ଦୁଝର ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଫେସର ନରେନ୍ଦ୍ର କୁମାର ପ୍ରଧାନ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଶୃଙ୍ଖଳା ଜ୍ଞାନ ର ବିକାଶ ତଥା ସମାଜ ତଥା ଦେଶ ଗଠନରେ ତାଙ୍କର ଭୂମିକା ଉପରେ ଆଲୋକ ପାତ କରି କହିଥିଲେ ସାମ୍ପ୍ରତିକ ସ୍ଥିତିରେ ଛାତ୍ର ଛାତ୍ରୀ ମାନେ ନିଜର ଦାୟିତ୍ଵ ପ୍ରତି ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଛି । ଅତାବିରା ମହା ବିଦ୍ୟାଳୟ ର ଅଧ୍ୟକ୍ଷ ଅଶ୍ଵିନୀ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସ୍ଥାନୀୟ ବିଧାୟକ ନିହାର ରଞ୍ଜନ ମହାନନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଗଠନ ପାଇଁ ଉପଯୁକ୍ତ ମାର୍ଗ ଦର୍ଶନ କରିବା ସହ ସହିଦ ଜନାର୍ଦ୍ଦନ ସିଂ ଙ୍କ ଉପରେ ଉଚିତ୍ ଗବେଷଣା ହେବା ଆବଶ୍ୟକ ବୋଲି କହିଥିଲେ।
ଏହା ବ୍ୟତୀତ ଯୁକ୍ତ ତିନି କଳା ଓ ବିଜ୍ଞାନ ପାଇଁ ନୂତନ କୋଠଘର ନିର୍ମାଣ ପାଇଁ ସରକାର ଙ୍କ ପକ୍ଷରୁ ୩ କୋଟି ୮୨ ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଛି ବୋଲି ଘୋଷଣା କରିଥିଲେ ।ଅନୁଷ୍ଠାନ ର ସର୍ବାଙ୍ଗୀନ ବିକାଶ ପାଇଁ ଯାହା କିଛି ଆବଶ୍ୟକ ,ତାହା ପୁରଣ କରିବା ଦିଗରେ ବିହୀତ ପଦକ୍ଷେପ ନେବେ ବୋଲି ଶ୍ରୀ ମହାନନ୍ଦ ନିଜ ବକ୍ତବ୍ୟରେ କହିଥିଲେ । ଅଧ୍ୟାପକ ପରମାନନ୍ଦ ରଥ ମଞ୍ଚ ପରିଚାଳନା କରିଥିଲେ । ଏହି ଉତ୍ସବ ପାଳନ ଅବସରରେ ମହା ବିଦ୍ୟାଳୟ ର ଯୁକ୍ତ ଦୁଇ ଓ ତିନି କଳା ଓ ବିଜ୍ଞାନ ର ଛାତ୍ର ଛାତ୍ରୀ ମାନେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଯୋଗୁଁ ୨୫୦ ରୁ ଅଧିକ ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଅଧ୍ୟାପକ ସୂର୍ଯ୍ୟନାରାୟଣ ବିଶ୍ଵାଳ ଧନ୍ୟବାଦ୍ ଅର୍ପଣ କରିଥିଲେ । ବାର୍ଷିକ ଉତ୍ସବର ଦ୍ଵିତୀୟ ପର୍ଯ୍ୟାୟର ଅଧ୍ୟକ୍ଷ ଶ୍ରୀ ପ୍ରଧାନ ଓ ଅଧ୍ୟାପିକା ରିଙ୍କି ପ୍ରଧାନ ଙ୍କ ନିର୍ଦ୍ଦେଶନାରେ” ସ୍କୁଲ୍ ଚଲେ ହମ୍ ” ଉପରେ ଲଘୁ ନାଟିକା , “ସେଭ୍ ଗାର୍ଲ୍ ଚାଇଲ୍ଡ ” ସଚେତନ ଧର୍ମୀ କ୍ଷୁଦ୍ର ନାଟକ ପରିବେଷିତ ହୋଇଥିଲା ,ଯାହା ସମସ୍ତ ଙ୍କ ମନକୁ ବେଶ୍ ପ୍ରଭାବିତ କରିଥିଲା । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ଭାଷା ଓ ସମ୍ପ୍ରଦାୟ ର ୪୦ ଗୋଟି ନୃତ୍ୟ ପରିବେଷିତ ହୋଇଥିଲା । ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ,ଅଧ୍ୟାପିକା, କର୍ମଚାରୀ ଏହାକୁ ସହଯୋଗ କରିଥିଲେ ।