ଚମ୍ପୁଆ/କେନ୍ଦୁଝର (ପ୍ରଦୀପକୁମାର ମହାନ୍ତ): ଦୀର୍ଘଦିନ ଧରି ଚମ୍ପୁଆ ରେଞ୍ଜରେ ଉତ୍ପାତ ଜାରି ରଖିଥିବା ଗୋଠଛଡ଼ା ଦନ୍ତାର ଉତ୍ପାତ ସୀମା ଟପିବାରେ ଲାଗିଛି, ଘର ଭାଙ୍ଗି ଧାନ ଚାଉଳ ଖାଇବା ମଜା ପାଇଥିବା ଦନ୍ତାପାଇଁ ଗୋଟିଏ ପରିବାର ସଂପୂର୍ଣ୍ଣ ବେଘର ହୋଇଥିବା ଦେଖାଦେଇଛି ! ଚମ୍ପୁଆ ରେଞ୍ଜ ଯାମୁଦଲକ ପଞ୍ଚାୟତର ସାତହଳିଆ ଗ୍ରାମ ର ମନୋଜ ଚାତରଙ୍କ ଘରଟିକୁ ସଂପୂର୍ଣ୍ଣ ଭାଙ୍ଗିଦେଇଛି ଏହି ଦନ୍ତାହାତୀ ,ଗତରାତି ତାଙ୍କ ସମସ୍ତ ପରିବାର ଗାଁରେ ହେଉଥିବା ମାଘେ ପର୍ବ ଦେଖିବାକୁ ଯାଇଥିବାବେଳେ ଏହି ଗୋଠଛଡ଼ା ଦନ୍ତାଟି ତାଙ୍କର ଘର ଟିକୁ ଭାଙ୍ଗି ଚୁରମାର କରିଦେଇଛି ।
ଏପରି ଭାଙ୍ଗି ଚୁରମାର କରିଦେଇଛି ଯେ ମୁଣ୍ଡ ଗୁଞ୍ଜିବାକୁ ଆଉ ଆଶ୍ରୟ ନାହିଁ। ଅନ୍ୟ ଦିଗରେ ଘରେ କେହି ନ ଥିବାରୁ ଏକ ବିରାଟ ଅଘଟଣ ରୁ ବର୍ତ୍ତିଯାଇଛନ୍ତି ପରିବାର ଲୋକେ । ତେବେ ଏନେଇ ଖବର ପାଇ ଆଜି ସକାଳେ ବନବିଭାଗ ଗ୍ରାମର ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିବା ବେଳେ ହାତୀର ଗତିବିଧି ଉପରେ ବନ ବିଭାଗ ତୀକ୍ଷ୍ଣନଜର ରଖିଥିବାବେଳେ ଏହାକୁ ନେଇ ଗ୍ରାମ ରେ ବନବିଭାଗ ପ୍ରତି ଜନ ଆକ୍ରୋଶ ବୃଦ୍ଧିପାଇଛି।