କଟକ (ଆକାଶ କୁମାର ସ୍ୱାଇଁ): ମର୍କତ ନଗରସ୍ଥିତ ବାଣିଜ୍ୟ କର ଆଡଭୋକଟ୍ ସଂଘ ପ୍ରକ୍ଷଆଳୟ ଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ କଟକ ନଗରର ପୁରାତନ ଭୋଜନାଳୟ ମାନଙ୍କୁ ଇନଟାକ୍ ତରଫରୁ ଐତିହ୍ୟ ଫଳକ ପ୍ରଦାନ କରାଯାଇଛି। ହଜାର ବର୍ଷରୁ ପୁରୁଣା ସହର କଟକ…। ଜନବସତିକୁ ଆଖିରେ ରଖି ଏଠାରେ ଗଢିଉଠିଥିଲା ଅନେକ ଛୋଟବଡ ଭୋଜନାଳୟ। ସେମାନଙ୍କ ମଧ୍ୟରୁ ଅନେକ ବିଭିନ୍ନ କାରଣରୁ ନିଜର ଅସ୍ତିତ୍ବ ହରାଇ ସାରିଛନ୍ତି।
ଇନଟାକ୍ କଟକ ଶାଖା ତରଫରୁ ପଚାଶ ବର୍ଷରୁ ଅଧିକ ସମୟଧରି ବ୍ୟବସାୟ କରୁଥିବା ଭୋଜନାଳୟମାନଙ୍କର ଏକ ସର୍ବେକ୍ଷଣ କରାଯାଇଥିଲା ସେଥିମଧ୍ୟରୁ କୋଡ଼ିଏଟି ପ୍ରତିଷ୍ଠାନକୁ ଆଜି ଐତିହ୍ୟ ଫଳକ ପ୍ରଦାନ କରାଯାଇଥିବା ସହିତ ସମ୍ବର୍ଦ୍ଧିତ କରାଯାଇଥିଲା। ସର୍ବେକ୍ଷଣ ଦାୟିତ୍ବରେ ଥିଲେ ସୁମନ ପ୍ରକାଶ ସ୍ବାଇଁ। ଫଳକ ଏବଂ ସମ୍ବର୍ଦ୍ଧନା ପ୍ରଦାନ କରି ଇନଟାକ୍ ଓଡ଼ିଶା ଶାଖାର ମୁଖ୍ୟ ଅମୀୟଭୁଷଣ ତ୍ରିପାଠୀ ପୁରସ୍କୃତ ପ୍ରତିଷ୍ଠାନମାନଙ୍କୁ ଐତିହ୍ୟ ଓ ମର୍ଯ୍ୟାଦା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ।
କଟକ ଶାଖାର ଆବାହକ ଗୋପାଳ କୃଷ୍ଣ ବେହେରା ଐତିହ୍ୟ ସଂରକ୍ଷଣ ଦିଗରେ ଏଭଳି ପଦକ୍ଷେପର ଗୁରୁତ୍ୱ ରହିଛି ବୋଲି କହିଥିଲେ। ଆଜୀବନ ସଦସ୍ୟ ରାଜା ପରିଜା ଇନଟାକ୍ କିଭଳି କଟକର ଇତିହାସ ଓ ଐତିହ୍ୟକୁ ସଂରକ୍ଷଣ ରଖିବା ଦିଗରେ ସକ୍ରୀୟ ଭୂମିକା ଗ୍ରହଣ କରିପାରିବ ବର୍ଣ୍ଣନା କରିଥିଲେ। ଅନେକ ବରିଷ୍ଠ ଓ ବିଶିଷ୍ଟ ଭଦ୍ରବ୍ୟକ୍ତି ସଭାରେ ଉପସ୍ଥିତ ଥିଲେ। ମଞ୍ଚ ପରିଚାଳନା ଓ ସଂଜୋଯନା କରିଥିଲେ ଡକ୍ଟର ଦୀପକ ସାମନ୍ତରାୟ। ଧନ୍ୟବାଦ ଅର୍ପଣ କରିଥିଲେ ଆଜୀବନ ସଦସ୍ୟ ପ୍ରଶାନ୍ତ କୁମାର ରାଉତରାୟ।