ଦୋଳପୂର୍ଣ୍ଣିମା ଓ ସୁନାବେଶ ଉପଲକ୍ଷେ ଶ୍ରୀମନ୍ଦିର ଚଳଚଞ୍ଚଳ

ପୁରୀ(ଜିତେନ୍ଦ୍ର କୁମାର ସାବୁତ) : ଦୋଳପୂର୍ଣ୍ଣିମା ପାଇଁ ସବୁଠି ଉତ୍ସବ ମୁଖର ପରିବେଶ । ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟରୁ ଦୋଳଯାତ୍ରା ଅନ୍ୟତମ । ଶ୍ରୀମନ୍ଦିରରେ ଆସନ୍ତା ୧୪ ତାରିଖ ଦିନ ଶ୍ରୀଜିଉଙ୍କର ଅନୁଷ୍ଠିତ ହେବ ସୁନାବେଶ lଶ୍ରୀମନ୍ଦିରରେ ଦୋଳ ଉତ୍ସବ ପାରମ୍ପରିକ ଭାବରେ ପାଳନ କରାଯାଇଥାଏ l ଏହି ଦିନ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ମଣି ବିମାନରେ ଦୋଳବେଦୀକୁ ବିଜେ କରିବା ସହ ଭକ୍ତଙ୍କ ସହିତ ଫଗୁ ଓ ଅବିର ଖେଳିଥାନ୍ତି lଦୋଳ ବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମହାପୁଣ୍ୟ ମିଳେ ବୋଲି ବର୍ଣ୍ଣିତ ରହିଛି ।

ତେବେ ଆଉ ମାତ୍ର ଗୋଟିଏ ଦିନ ପରେ ଦୋଳ ଉତ୍ସବ ପାଳନ ହେବାକୁ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଭକ୍ତମାନଙ୍କ ଦର୍ଶନ ନିମନ୍ତେ ଦୋଳବେଦୀକୁ କରାଯାଉଛି ସୁସଜ୍ଜିତ l ଦୋଳବେଦୀ ଚତୁର୍ପାଶ୍ୱକୁ ସଫା କରାଯାଉଥିବା ବେଳେ ଦୋଳବେଦୀ ଉପରେ ଚାନ୍ଦୁଆ ଲଗାଇବା ପାଇଁ ଲୁହା ସେଡ ଲଗାଯାଇଛି l ୧୯ ଗୋଟି ଚାନ୍ଦୁଆ ଦୋଳବେଦୀରେ ମହାପ୍ରଭୁଙ୍କ ନିମନ୍ତେ ଲଗାଯିବାକୁ ଥିବାବେଳେ ମହାପ୍ରଭୁଙ୍କ ଆଗମନ ଲାଗି ପ୍ରସ୍ତୁତ ହେଉଛି ଦୋଳ ବେଦୀ lଦୋଳ ପୁର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ନେଇ ଦୋଳ ପୂର୍ଣ୍ଣିମାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଆଶଙ୍କା ରହିଛି l ସେହିପରି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳବେଦୀକୁ ଆସିବା ପରେ ବାହାର ଓ ଭିତର ପ୍ରଦକ୍ଷଣ କରିବା ସହ ଦୋଳବେଦୀରେ ବିଜେ କରିଥାନ୍ତି l

ଏହି ସମୟରେ ଭକ୍ତମାନେ ଯେଉଁଭଳି ସୁରୁଖୁରୁରେ ଏବଂ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି l ଖରାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଦୋଳବେଦୀ ଠାରେ ପାନୀୟ ଜଳ ବ୍ୟବସ୍ଥା ସହ ସେଡର ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ମତ ରଖିଛନ୍ତି l ତେବେ ଦୋଳପୁର୍ଣ୍ଣିମା ପୂର୍ବରୁ ୧୩ ତାରିଖରେ ସ୍ୱତନ୍ତ୍ର ମେଣ୍ଢା ପୋଡ଼ି ନୀତି ପରମ୍ପରା ଅନୁସାରେ ଅନୁଷ୍ଠିତ ହେବା ନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି l

Leave a Reply

Your email address will not be published. Required fields are marked *

error: Content is protected !!