ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ )ପ୍ରସନ୍ନ ପାଟ୍ଟଶାଣୀଙ୍କ ବିଷୋଦ୍ଗାର । ଟାର୍ଗେଟ୍ରେ ନବୀନ ଓ ପାଣ୍ଡିଆନ । ବୁଲେଇ ବଙ୍କାଇ ନୁହେଁ ବରଂ ସିଧାସଳଖ କହିଛନ୍ତି ବିଜେଡିର ଏ ଅବସ୍ଥା ଲାଗି ପାଣ୍ଡିଆନ ହିଁ ଦାୟୀ । ଖାଲି ଏତିକି ନୁହେଁ ବିଜେଡି ବୁଡ଼ିଯାଉଥିବା କଥା ବି ସେ କହିଛନ୍ତି । ବିଜେଡି ନେତା ଏବେ ଅଣନିଃଶ୍ବାସୀ ହୋଇଗଲେଣି, ଦଳ ୩ ଭାଗ ହୋଇଯିବ ପଛେ ପାଣ୍ଡିଆନଙ୍କୁ ନବୀନ ଛାଡ଼ିବେନି ଏବଂ ନବୀନଙ୍କ ଚେତାବନୀ କିଛି କାମ ଦେବନି ବୋଲି ରୋକଠୋକ୍ କହିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ ।ପାଣ୍ଡିଆନଙ୍କ କଥାରେ ମିଛ କହୁଛନ୍ତି ନବୀନ । ଦଳରେ କ’ଣ ଅଛି ଯେ ଦଳ ଗଢ଼ିବେ ? ବିଜେଡି ଦଳରେ ଏବେ ଷଡ଼ଯନ୍ତ୍ର ଚାଲିଛି । ମୋ ବିରୋଧରେ ବି ପାଣ୍ଡିଆନ ଷଡ଼ଯନ୍ତ୍ର କରିଥିଲେ । ନେତାଙ୍କୁ ତାଗିଦ୍ କରିବାର ଅଧିକାର କାହାର ନାହିଁ ।
ପାଣ୍ଡିଆନଙ୍କ ଯୋଗୁଁ ଦଳ ହାରିଛି, ବାରମ୍ବାର କହିବାକୁ ଚାହୁଁନି । ଏମିତି କହି ବିଷୋଦ୍ଗାର କରିଛନ୍ତି ପ୍ରସନ୍ନ ।ବିଜେଡିରେ ଏବେ ପ୍ରବଳ କନ୍ଦଳ । ଜଣଙ୍କ ପରେ ଜଣେ ନେତା ଗଣମାଧ୍ୟମରେ ମୁହଁ ଖୋଲି ପାଣ୍ଡିଆନଙ୍କ ବିରୋଧରେ ବର୍ଷୁଛନ୍ତି । ହେଲେ ନବୀନ ବାବୁ ବାରମ୍ବାର ତାଙ୍କୁ କ୍ଲିନ୍ଚିଟ୍ ଦେଉଛନ୍ତି । ଯାହାକୁ ନାପସନ୍ଦ କରୁଛନ୍ତି ପ୍ରସନ୍ନ ପାଟ୍ଟଶାଣୀ । କହିଛନ୍ତି, ଦଳ ବୁଡ଼ିଗଲାଣି ହେଲେ ବି ନବୀନ ବାବୁଙ୍କ ଚେତା ପଶୁନି । ତାଙ୍କ ସମର୍ଥନରେ କହିବାକୁ କେମିତି ଲାଜ ଲାଗୁନି ବୋଲି ସେ ପ୍ରଶ୍ନ ବି କରିଛନ୍ତି । ବରିଷ୍ଠ ନେତାମାନେ ଯେଉଁ ଅଭିଯୋଗ କରୁଛନ୍ତି ତାହା ସଂପୂର୍ଣ୍ଣ ସତ ।