ତମାଖୁ ସେବନ ଦ୍ୱାରା ସମାଜରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଅନେକ କ୍ଷତି ହେଉଛି। ଏହା କେବଳ କ୍ୟାନସର ନୁହେଁ ଏହା ହୃଦରୋଗ, ଶ୍ୱାସଜନିତ ରୋଗ, ବ୍ରେନ୍ଷ୍ଟ୍ରୋକ୍ ଆଦିର କାରଣ ସାଜିଛି।
ତମାଖୁ ସେବନ ହ୍ରାସ କରିବା ପାଇଁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା ପରିଚାଳିତ ଏକ ବିଶ୍ୱସ୍ତରୀୟ ପଦକ୍ଷେପ ଭାବେ ଏହାକୁ ପାଳନ କରାଯାଏ । ତମାଖୁ ସେବନର ପ୍ରୋତ୍ସାହନକୁ ରୋକିବା ଏବଂ ସ୍ୱାସ୍ଥ୍ୟ ପ୍ରତି ବିପଦ ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହାର ଲକ୍ଷ୍ୟ।
ତମାଖୁ ସେବନ ତଥା ଏହାର କାରବାରକୁ କମାଇବା ଏହି ଦିବସର ଲକ୍ଷ୍ୟ। ଗ୍ଲୋବାଲ ଆଡଲ୍ଟ ତମାଖୁ ସର୍ଭେ ତଥା ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେର ତଥ୍ୟ କହୁଛି, 15 ବର୍ଷ ବା ତା’ଠାରୁ କମ୍ ବୟସର ଶିଶୁମାନେ ତମାଖୁ ସେବନ କରୁଛନ୍ତି। ଗ୍ଲୋବାଲ ଆଡଲ୍ଟ ତମାଖୁ ସର୍ଭେ-2 ଅନୁଯାୟୀ ଓଡ଼ିଶାରେ 55.9 ପ୍ରତିଶତ ପୁରୁଷ ଓ 22.4 ପ୍ରତିଶତ ମହିଳା ତମାଖୁ ସେବନ କରୁଛନ୍ତି। 9.7 ପ୍ରତିଶତ ଲୋକ ଧୂମ୍ରଯୁକ୍ତ ତମାଖୁ ସେବନ କରୁଥିବାବେଳେ 34.6 ଲୋକ ଧୂମହୀନ ତମାଖୁ ସେବନ କରୁଛନ୍ତି। ସର୍ଭେ ଅନୁଯାୟୀ, ସହରାଞ୍ଚଳଠାରୁ ଗ୍ରାମାଞ୍ଚଳରେ ତମାଖୁ ସେବନକାରୀଙ୍କ ସଂଖ୍ୟା ବଢିଚାଲିଛି।
୧୯୮୮ ମସିହା ମେ ୩୧ ତାରିଖରେ ପ୍ରଥମ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଥିଲା । ତମାଖୁ ଦ୍ୱାରା ଆମ ଶରୀରରେ ଅନେକ ପ୍ରାଣଘାତୀ ରୋଗ ଜନ୍ମ ନେଇଥାଏ । ତମାଖୁ କେବଳ ଆମର ସ୍ୱାସ୍ଥ୍ୟ ନୁହେଁ, ବରଂ ପରିବେଶକୁ କ୍ଷତିଗ୍ରସ୍ତ କରିଥାଏ ।
ସିଗାରେଟ୍ ଏବଂ ବିଡି ଧୂଆଁ କେବଳ ବ୍ୟକ୍ତି ଉପରେ ନୁହେଁ ବରଂ ଏହାର ଆଖପାଖରେ ରହୁଥିବା ଶିଶୁ, ମହିଳା ଏବଂ ବୃଦ୍ଧ ବ୍ୟକ୍ତିଙ୍କ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଥାଏ। ଫଳରେ ବ୍ୟବହାରକାରୀଙ୍କ ଉପରେ କ୍ୟାନ୍ସର ଭଳି ରୋଗ ଦେଖାଯାଉଥିବା ବେଳେ ଛୋଟଛୁଆଙ୍କ ଉପରେ ସ୍ମୃତିଶକ୍ତି ହରାଇବା ଏବଂ ଶ୍ବାସରୋଗ ଭଳି ସମସ୍ୟା ଦେଖାଯାଇଥାଏ।
