ସୁବର୍ଣ୍ଣପୁର (ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ) “ଯାଦେବୀ ସର୍ବଭୂତେଷୁ ଦୁର୍ଗା ରୂପେଣସଂସ୍ଥିତା ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋନମଃ”ହିନ୍ଦୁଧର୍ମାବଲମ୍ବୀଙ୍କ ପାଇଁ ଶାରଦୀୟ ନବରାତ୍ର ପୂଜା ବହୁତ ପବିତ୍ର ଓ ମହତ୍ତ୍ୱପୁର୍ଣ୍ଣ କୁହାଯାଏ।ଏହି ସମୟରେ ପୂଜାର୍ଚ୍ଚନା କରାଯିବା ଦ୍ୱାରା ମନୋବାଞ୍ଛିତ ଫଳପ୍ରାପ୍ତ ହୁଏ ବୋଲି ପୁରାଣଗ୍ରନ୍ଥ ଗୁଡିକରେ ବିଶେଷ ଭାବରେ ବର୍ଣ୍ଣିତ ହୋଇଛି। ସେଥିପାଇଁ ଦ୍ୱିତୀୟ ବାରାଣସୀ ସୁବର୍ଣ୍ଣପୁର ସହର ମଧ୍ୟରେ ରହିଥିବା ଦେବୀପୀଠ ସବୁରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା। ଶାରଦୀୟ ନବରାତ୍ରିର ଗତକାଲି ଥିଲା ନବମ ବା ଅନ୍ତିମ ଦିନ। ଏଣୁ ଏଥିପାଇଁ ମା’ସୁରେଶ୍ୱରୀ ଶାରଦୀୟ ପର୍ଵର ଅନ୍ତିମ ଦିନରେ ମହିଷାମର୍ଦ୍ଦିନୀ ବେଶ ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି।
ସେଥିପାଇଁ ଯେତେବେଳେ ରମ୍ଭାସୁର ନାମକ ଅସୁରର ଏକପୁତ୍ର ଭାବରେ ମହିଷାସୁର ଜନ୍ମ ହୋଇ ବଡ଼ ହେଲା। ସେ ସର୍ବ ଶକ୍ତିଶାଳୀ ଓ ଅମରତ୍ୱ ପାଇଁ କଠିନ ତପସ୍ୟା କରିଥିଲା। ଫଳ ସ୍ୱରୂପ ତାକୁ ସୃଷ୍ଟିର ରଚୟିତା ବ୍ରହ୍ମାଙ୍କ ଠାରୁ ବରପ୍ରାପ୍ତ ହୋଇଥିଲା ଯେ ତାହାର ମୃତ୍ୟୁ ଦେବତା ବା ପୁରୁଷଙ୍କ ଦ୍ୱାରା ହେବନାହିଁ ବୋଲି। ତାହାର ସୁଯୋଗ ନେଇ ସେ ତାହାର ଅତ୍ୟାଚାର ଆରମ୍ଭ କରିଦେଇଥିଲା।
ଦାନବ ମହିଷାସୁରର ଅତ୍ୟାଚାରରୁ ଦେବତା ମାନଙ୍କୁ ମୁକ୍ତି ପ୍ରଦାନ ତଥା ସାରା ବିଶ୍ୱ ବ୍ରହ୍ମାଣ୍ଡକୁ ମହିଷାସୁରର ଦୌରାତ୍ମ୍ୟରୁ ରକ୍ଷା କରିବା ପାଇଁ ମାତା ଭଗବତୀଙ୍କୁ ଦୁର୍ଗା ରୂପରେ ଅବତୀର୍ଣ୍ଣ ହୋଇଥିବା କଥା ପୌରାଣିକ କାହାଣୀରୁ ଜଣାଯାଏ।ରୁକ୍ ବେଦ ରେ ଉଲ୍ଲେଖ ରହିଛି, ମାତା ଦୁର୍ଗା ହେଉଛନ୍ତି ଆଦିଶକ୍ତି,ଯେକି ଅବିନାଶୀ ଅଟନ୍ତି।ଏହି ସଂସାରର ସମସ୍ତ କ୍ରିୟା କଳାପକୁ ସଞ୍ଚାଳନ କରୁଥିବା ଜଣାଯାଏ। ସେଥିପାଇଁ ସେ ସର୍ବ ଶକ୍ତିଶାଳୀ ମହିଷାସୁରର ବଧ ସକାଶେ ଧରାଧାମକୁ ପୁଣିଥରେ ଅବତୀର୍ଣ୍ଣ ହୋଇ ନଅ ଦିନ ଧରି ଘମାଘୋଟ ଯୁଦ୍ଧ କରିଥିଲେ।ପ୍ରଥମେ ଯେତେବେଳେ ମହିଷାସୁର ସହିତ ଯୁଦ୍ଧ ସକାଶେ ଯୁଦ୍ଧ କ୍ଷେତ୍ରରେ ଓହ୍ଲାଇ ଥିଲେ ମା’ଦୁର୍ଗା, ସେତେବେଳେ ମାତା ଦୁର୍ଗାଙ୍କ ଅପରୂପ ସୌନ୍ଦର୍ଯ୍ୟ ରେ ବିମୋହିତ ହୋଇ ମାତାଙ୍କୁ ଯୁଦ୍ଧ ନ କରିବା ପାଇଁ ପ୍ରସ୍ତାବ ରଖି ମାତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲା।
ସେତେବେଳେ ମାତା ଯୁଦ୍ଧ କରି ମୋତେ ପରାଜିତ କରିପାରିଲେ ତାହା ସମ୍ଭବ ବୋଲି କହି ପ୍ରଚଣ୍ଡ ଯୁଦ୍ଧ ଆରମ୍ଭ କରି ଦେଇଥିଲେ।ଶେଷରେ ମାତାଙ୍କ ହାତରେ ତାହାର ମୃତ୍ୟୁ ହୋଇଥିଲା। ମହିଷାସୁରକୁ ବଧ କରିବା ପାଇଁ ମାତାଙ୍କୁ ନଅ ଦିନଧରି ଯୁଦ୍ଧ କରିବାକୁ ପଡିଥିଲା।ସେଥିପାଇଁ ହିନ୍ଦୁଧର୍ମାବଲମ୍ବୀ ମାନେ ଉକ୍ତ ସମୟକୁ ପ୍ରତ୍ୟେକ ବର୍ଷ ନଅ ଦିନଧରି ଦୁର୍ଗାପୂଜା କରିବା ସହ ଦଶମଦିନକୁ ବିଜୟାଦଶମୀ ଭାବରେ ପାଳନ କରିଥାନ୍ତି।ସୁତରାଂ ଏହି ନବରାତ୍ରି ସମୟରେ ମାତା ଦୁର୍ଗା ଦେବୀଙ୍କ ପୂଜା ଉପାସନାର ଅନେକ ମହତ୍ଵ ବହନ କରିଥାଏ।ଏହିସମୟରେ ମାତା ଦୁର୍ଗା ଦେବୀଙ୍କୁ ନିଷ୍ଠାର ସହିତ ପୂଜା ଉପାସନା କରିବା ଦ୍ୱାରା ଦୈନନ୍ଦିନ ଜୀବନରେ ସୁଖଶାନ୍ତି ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି l